ଭୁବନେଶ୍ୱର,୨୮/୧୦: ବଜାରରେ ଏବେ ମାଳମାଳ ନକଲି ହେଲ୍‌ମେଟ୍‌ । ପୁଲିସ  ମଧ୍ୟ ଯାଞ୍ଚ କରୁନଥିବାରୁ ବ୍ୟବସାୟୀ ଏହାକୁ  ବିକୁଛନ୍ତି । ଅସଲି ଆଉ ନକଲି ମଧ୍ୟରେ  ଜନସାଧାରଣ ଫରକ ଜାଣିପାରୁନଥିବାରୁ  ସେମାନେ ଏହାକୁ କିଣୁଛନ୍ତି । ଏହାଦ୍ୱାରା  ସେମାନେ କେବଳ କ୍ଷତିଗ୍ରସ୍ତ ହେବା ସାର ହେଉଛି । ହେଲେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ସବୁ ରାଜ୍ୟର ଜିଲ୍ଲାପାଳମାନଙ୍କୁ ନକଲି ହେଲମେଟ୍‌ ହଟାଇବାକୁ ନିର୍ଦ୍ଦେଶ ଦେବା ପରେ ଏବେ ଅସାଧୁ ବ୍ୟବସାୟୀମାନେ  ଚିନ୍ତାରେ । ଅସାଧୁ ବ୍ୟବସାୟୀମାନେ  ବିଆଇଏସ୍‌ ଓ ଆଇଏସ୍‌ଆଇ ମାର୍କର ଅପବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ଏହି ନିର୍ଦ୍ଦେଶ  ଦିଆଯାଇଛି । ହେଲମେଟ୍‌  ନିର୍ମାତା ବିଆଇଏସ୍‌  (ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌  ଷ୍ଟାଣ୍ଡାର୍ଡ) ଲାଇସେନ୍ସ  ପାଇଛନ୍ତି କି ନାହିଁ ତାହା  ଜାଣିବାକୁ ଖାଉଟି ବିଆଇଏସ୍‌ କେୟାର ଆପ୍‌  କିମ୍ବା ବିଆଇଏସ୍‌ ୱେବ୍‌ସାଇଟ୍‌ରେ ଏହାକୁ ଯାଞ୍ଚ କରିପାରିବେ ।  

ଆଇନ କହୁଛି ଆଇଏସ୍‌ଆଇ (ଇଣ୍ଡିଆନ୍‌  ଷ୍ଟାଣ୍ଡାର୍ଡସ ଇନ୍‌ଷ୍ଟିଚ୍ୟୁସନ୍‌ ମାର୍କ) ଚିହ୍ନ  ନ ଥିବା ହେଲମେଟ୍‌  ପିନ୍ଧିବା ଯୋଗ୍ୟ ନୁହେଁ । ହେଲେ ପୁଲିସକୁ ଭକୁଆ  ବନାଉଛି ଆଇଏସ୍‌ଆଇ  ଚିହ୍ନ ରହିଥିବା ନକଲି  ହେଲ୍‌ମେଟ୍‌ ।  ସାଧାରଣତଃ ଆଇଏସ୍‌ଆଇ ଚିହ୍ନ ଥିବା ହେଲ୍‌ମେଟ୍‌କୁ ଲୋକେ ଅସଲି ଭାବନ୍ତି । ହେଲେ ନକଲି ହେଲ୍‌ମେଟ୍‌ରେ ମଧ୍ୟ  ଆଇଏସ୍‌ଆଇ ଚିହ୍ନ ରହୁଛି । ନିର୍ଦ୍ଧାରିତ ମାନର ହେଲ୍‌ମେଟ୍‌ ଗ୍ରାହକଙ୍କୁ ଯୋଗାଇବାର ନିୟମ ରହିଥିଲେ ମଧ୍ୟ ଏହାକୁ ଅନେକ ମାନୁନାହାନ୍ତି । ନକଲି ହେଲ୍‌ମେଟ୍‌ରେ ସାମାନ୍ୟ ଆଘାତ ହେଲେ ଏହା ନଷ୍ଟ ହୋଇଯାଇଥାଏ । ଏହା  ବିକ୍ରି କରିବା ବେଆଇନ୍‌ ହୋଇଥିଲେ ମଧ୍ୟ ଏଥିରେ କଟକଣା ଲଗାଯାଇପାରୁ ନାହିଁ । ସେହିପରି ନକଲି ହେଲମେଟ୍‌ ବିକୁଥିବା  ବ୍ୟବସାୟୀଙ୍କ ବିରୋଧରେ କୌଣସି  ପଦକ୍ଷେପ ନିଆଯାଉନାହିଁ ।

କେତେ ପ୍ରକାର ହେଲ୍‌ମେଟ୍‌ 
ମୁଖ୍ୟତଃ ୪ ପ୍ରକାର ହେଲ୍‌ମେଟ୍‌ ରହିଥାଏ । ଯଥା-ହାଫ୍‌ ଫେସ୍‌ ହେଲ୍‌ମେଟ୍‌,  ଫୁଲ୍‌ ଫେସ୍‌ ହେଲ୍‌ମେଟ୍‌, କ୍ୟାପ୍‌ ହେଲମେଟ୍‌ , ମଡ୍ୟୁଲାର ହେଲମେଟ୍‌ ।  କ୍ୟାପ୍‌ ହେଲ୍‌ମେଟ୍‌ ବ୍ୟାନ୍‌ ହୋଇଥିବାରୁ ଏହା ବଜାରରେ ଉପଲବ୍‌ଧ  ହେଉନି । ଏବେ ମୁଖ୍ୟତଃ ଅନ୍ୟ ୩ ପ୍ରକାର ହେଲମେଟ୍‌ ମିଳୁଛି ।

ବଜାରକୁ ଆସିଥିବା ନୂଆ ହେଲ୍‌ମେଟ୍‌ 

ଏବେ ବଜାରକୁ ନୂଆ କରି ବ୍ଲୁ ଟୁଥ୍‌ ଡିଭାଇସ୍‌ କମ୍ୟୁନିକେସନ୍‌ ହେଲ୍‌ମେଟ୍‌ ଆସିଛି । ଏହାକୁ ପିନ୍ଧି ଜଣେ ଚାଳକ  ଜରୁରି ସ୍ଥିତିରେ ବ୍ଲୁ ଟୁଥ୍‌ ମାଧ୍ୟମରେ ଫୋନ୍‌ରେ କଥା ହୋଇପାରିବେ । ସେହିପରି ଗାଡ଼ି ଚଲାଇବା ସମୟରେ  ସମ୍ମୁଖରୁ ଅନ୍ୟ କୌଣସି ଗାଡ଼ିର ହେଡ୍‌ଲାଇଟ୍‌ରୁ ଆଲୋକ ପଡ଼ିଲେ ସ୍ପଷ୍ଟ ଦେଖାଯାଏ ନାହିଁ । ସେପରି ସ୍ଥଳେ  ହେଲ୍‌ମେଟ୍‌ରେ ଧଳା ରଙ୍ଗର ଭାଇଜରକୁ ବଦଳାଇ ହଳଦିଆ ରଙ୍ଗର ଭାଇଜର ଲଗାଇ ହେବ  ।